Unknown

 

 

 

 

 

 

 

 

 

 

କର୍ମ ସଙ୍ଗୀତ

(ଦ୍ୱିତୀୟ ଭାଗ)

ଭିକାରୀଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ହାତକାମ

୨.

କୃଷି

୩.

ସୂତାକଟା

୪.

ନାଳିଆ

୫.

ଚକ୍‍ଷ୍ଟିକ୍‍

୬.

ଖଜୁରୀପତ୍ର

୭.

ଅଅଁଳା

୮.

ଆଖୁଶର

୯.

କମ୍ୱଳ

୧୦.

ସାବୁନ୍‍

୧୧.

ହାତ

୧୨.

ପାଠ ଓ କାମ

୧୩.

ଆମଦେଶ

୧୪.

ଆଳସ୍ୟ

୧୫.

କଥା ଓ କାମ

Image

 

ହାତକାମ

(ସାଙ୍ଗେଲିସ୍ୱର-ଖେମ୍‍ଟା)

 

ହାତେ କାମ କର ହାତେ କାମ କର

କର ହାତରେ, (କାମ) କର ହାତରେ ।

କାମ ନ କରି ହେଲୁଁ କି ସରି

ହେଜ ଚିତ୍ତରେ; (କାମ) କର ହାତରେ ।

 

ବାପା ଅଜା ଥିଲେ କାମରେ ପଟୁ

ଆମେ କାମ ଛାଡ଼ି ହେଲୁଁ ନିଖଟୁ

କାମକୁ ଡରି ହେଲୁଁ ଏସରି

ନିଜ ଦୋଷରେ; (କାମ) କର ହାତରେ ।

 

ହାତ କଉଶଳ ବଳେ ଏ ଜାତି

ନାଚୁଥିଲା ଦିନେ ଫୁଲାଇ ଛାତି

ଧନରେ ଊଣା ନ ଥିଲା ଶୁଣା

ହାତ ଗୁଣରେ; (କାମ) କର ହାତରେ ।

 

ଆମେ ହାତ ବାନ୍ଧି କରମ ହୀନ

ଧନ ଅଭାବରେ ହୋଇଲୁଁ ଦୀନ

ଦାନା ନ ପାଉଁ ଅନାଇଥାଉଁ

ମରୁଁ ଭୋକରେ; (କାମ) କର ହାତରେ ।

 

କାମ କଲେ ଦିନ ଆସିବ ଫେରି

ଆମରି ଦୁଆରେ ବାଜିବ ଭେରୀ

ହାତ ଚିକ୍କଣେ ଭାତ ଚିକ୍କଣ

ହେବ ସତ୍ୱରେ; (କାମ) କର ହାହରେ ।

Image

 

କୃଷି

(ଇଟାଲିଏନ୍‍-ଖେମଟା)

 

କୃଷି ଆମ୍ଭର ସ୍ୱଜାତି କର୍ମ କୃଷି ଆମ୍ଭର ଧର୍ମ

ନଷ୍ଟ ହେଲୁଁ ଭ୍ରଷ୍ଟ ହେଲୁଁ ନ ବୁଝି କୃଷିର ମର୍ମ ।

କୃଷି ଆମ୍ଭର ମୋକ୍ଷବୃତ୍ତି ବୃତ୍ତି ଆମ୍ଭର ଛାଡ଼ି

ଅଳସେ ବିଳାସେ କାମରେ ନ ଲାଗି

ହୋଇ ଗଲୁଣି ଅନାଡ଼ି ।

ଆସ ଆସ ଏବେ ଲଙ୍ଗଳ ଚଳାଇ

କରିବା କୃଷିକର୍ମ ।

କୋଡ଼ି କାଙ୍କ ଧର ଭିଡ଼ିବା କମର

ତାଡ଼ିବା ଭୂଇଁକୁ କସି,

ରତନ ପ୍ରସୂତି ଜନନୀ ବକ୍ଷରୁ

ରତନ ତୋଳିବା ବସି ।

ଦୁଃଖ ଦୁରିତ ସବୁ ଘୁଞ୍ଚିଯିବ

ବହିଲେ ଶିରରୁ ଘର୍ମ ।

ଆମ୍ଭରି ଭୂଇଁରେ ଢାଳି ଦେଉଛନ୍ତି

ବ୍ରାହ୍ମଣୀ, ମହାନଦୀ,

ବୈତରଣୀ ଜଳେ ସୁବର୍ଣ୍ଣର ସାର

ନ ଚିହ୍ନି ହୋଇଲୁଁ ରଦି ।

ହାତରେ ବୁଣିବା ହାତରେ କାଟିବା

ନାହିଁ ଏଥି ଲାଜ ଶର୍ମ ।

Image

 

ସୂତାକଟା

(ରାଗ-ଭଙ୍ଗା ଗଡ଼ମାଳିଆ)

 

ସୂତାକଟା ଛାଡ଼ିଦେଇ,

ଭଜିଲଣି ଏବେ କେଉଁ ଦଶାକୁ ହେ

ଭାଇମାନେ !

ବୁଝିଲ କି ତାହା କେହି ?

କଳଲୁଗା ରୂପ ଚାହିଁ,

ବାପା ଅଜାଙ୍କର କପାଚାଷକୁ ହେ

ଭାଇମାନେ !

ବସିଲ ଦେଇ ବୁଡ଼ାଇ ।

 

ଚିକ୍କଣ କପଡ଼ା ପିନ୍ଧି,

ଘର ଧନ ଦେଲ ପରଙ୍କୁ ବୋହି ହେ

ଭାଇମାନେ !

ନିଜ ଘରେ ଖୋଳି ସିନ୍ଧି ।

 

କଳ ସୂତା ହାତେ ପାଇ,

ଅରଟରୁ ମାଲ ଦେଲ ଛିଡ଼ାଇ ହେ

ଭାଇମାନେ !

ଏବେ ହାତ ଚଳୁ ନାହିଁ ।

 

ଗାନ୍ଧିଙ୍କ ବଚନ ଶୁଣି,

ତର ତର ହୋଇ କେଇଟା ଦିନ ହେ

ଭାଇମାନେ !

ଖୋଜିଲ ଅରଟ ପୁଣି ।

 

ଅରଟ ଅରଟ କହି,

ଅଳପ ଦିନକୁ ମାତି ଉଠିଲ ହେ

ଭାଇମାନେ !

ଚମକିଗଲା ଏ ମହୀ ।

 

ଆଖି ଭୁଲାଇବାପାଇଁ,

ଛାତିରେ ମୁଣ୍ଡରେ ଅରଟ ଛପା ହେ

ଭାଇମାନେ !

ଦାଣ୍ଡକୁ ଦେଲ ଦେଖାଇ ।

 

ମୋଟ ସୂତା ଖିଏ ଖିଏ,

କାଟି ଦେଇ ମନେ       ମନେ ମଣିଲ ହେ

ଭାଇମାନେ !

ଆମଠାରୁ ବଡ଼ କିଏ ?

 

ତମରି ଆଈମା ବୁଢ଼ୀ

କେଡ଼େ ସରୁ କେଡ଼େ ଚିକ୍କଣ ସୂତା ହେ

ଭାଇମାନେ !

କାଟୁଥିଲେ ଗଲ ହୁଡ଼ି ।

 

ପିନ୍ଧିଣ ମୋଟ ଖଦଡ଼

ଦେଖାଇଲ ସିନା ନାହିଁ ସେ ହାତ ହେ

ଭାଇମାନେ !

ହୋଇଗଲାଣି ଅଦଢ଼ ।

 

ଯେବେ ଏଠୁଁ ଲୁଗା ଯାଇ

ବିଦେଶୀଙ୍କ ଆଖି ଦେଲା ଫିଟାଇ ହେ

ଭାଇମାନେ !

କଳର ଜନମ ନାହିଁ ।

 

ଥିଲା ଏ ଦେଶରେ ଯାହା,

ହରାଇ ସାରିଛ ସବୁ ସେତିକ ହେ

ଭାଇମାନେ !

ଖୋଜିଲେ ନ ପାଇ ତାହା ।

 

ଲୋକଦେଖା କଥା ଛାଡ଼,

ସତେ ସତେ ଯେବେ କରିବ କିଛି ହେ

ଭାଇମାନେ !

ଲାଗିପଡ଼ ଭାଙ୍ଗି ହାଡ଼ ।

 

ମନ କଲେ ଖାଲି ଟାଣ,

ସବୁ କଉଶଳ ଆସିବ ଫେରି ହେ

ଭାଇମାନେ !

ଅତି ସହଜରେ ଜାଣ ।

 

ଘରେ ଘରେ କପାଚାଷ

ନ ହେଲେ ପହିଲେ ସତେ କି ଜାଣ ହେ

ଭାଇମାନେ !

ପୂରିବ ଲୁଗାର ଆଶ ?

 

କରନ୍ତ ସମସ୍ତେ ପଣ

ଯେ ଯାହା ଜମିରେ ଲଗାଇ କପା ହେ

ଭାଇମାନେ !

କାଟନ୍ତ ଜଣକୁ ଜଣ ।

 

 

ଆପଣା ଲୁଗାଟି ପାଇଁ

ନ କାଟିବାଯାଏ ଆପଣେ ସୂତା ହେ

ଭାଇମାନେ !

ସେ ଆଶା ମେଣ୍ଟିବ କାହିଁ ?

 

ଖଟାଇ ନିଜେ ନ ଖଟି

ମଜୁରି ଗଣିବ କେତେ କାଳକୁ ହେ

ଭାଇମାନେ !

ଅକାଳେ ପଡ଼ିବ ହଟି ।

 

ପଣଆଈଙ୍କ ହାତରେ

ହେଉଥିଲା ସୂତା କେଡ଼େ ସୁନ୍ଦର ହେ

ଭାଇମାନେ !

ହେଜ ତା ମନ ଭିତରେ ।

 

ତାଙ୍କରି ନାତି ନାତୁଣୀ–

ତାଙ୍କ ହାତ ହେଳେ ପାଇବ ଫେରି ହେ

ଭାଇମାନେ !

ହେଲେଟି ଭଲ କାଟୁଣୀ ।

 

 

କଳସୂତା ଯିବ ହଟି,

ହାତକଉଶଳ ବଢ଼ାଇନେଲେ ହେ

ଭାଇମାନେ !

ମନ ଦେଇ ଖାଲି ଖଟି ।

 

ତନ୍ତୀଙ୍କ କରମ ମନ୍ଦ,

କଳସୂତା ବୁଣି ବୁଣି ସେ ଅନ୍ଧ ହେ

ଭାଇମାନେ !

ଏଣିକି ପଡ଼ୁଛି ଛନ୍ଦ ।

 

ନିଜ ପଣଅଜାଙ୍କର

ଦେଖି ତ ନାହାଁନ୍ତି ହାତଚାତୁରୀ ହେ

ଭାଇମାନେ !

ହୁଅନ୍ତି ଶୁଣି କାତର ।

 

ତାଙ୍କ ହାତ କରାମତି

ଦେଖି ଚମକିଲା ଦୁନିଆ ଦିନେ ହେ

ଭାଇମାନେ !

ଫେରିଲା ଦୁନିଆ ଗତି ।

 

 

ତମରି ହାତ ସୁନ୍ଦର

ହେଲାକ୍ଷଣି ସବୁ ଆସିବ ଫେରି ହେ

ଭାଇମାନେ !

ଫେରିବ ହାତ ତାଙ୍କର ।

 

କାଟି ପିନ୍ଧିବାର ସୁଖ

ନ ବୁଝିଲେ କୁଟି ଖାଇବା ହିତ ହେ

ଭାଇମାନେ !

ନ ଘୁଞ୍ଚିବ ଆମ ଦୁଃଖ ।

Image

 

ନାଳିଆ ଗୀତ

(ମିଶ୍ରବେହାଗ୍‍-ଆଠତାଳି)

 

ଯାଇଥିଲି ଚାନ୍ଦବାଲି,

ଚାନ୍ଦବାଲି ଛାଡ଼ି ଆସିଲି ଫେରି ମୁଁ

ଗାଆଁ ଗାଆଁ ଚାଲି ଚାଲି ।

 

ଦେଖିଲି କନିକା ଗଡ଼,

କନିକା ଗଡ଼ରେ ରାଜାଙ୍କ ନଅର

କୋଠାବାଡ଼ି ବଡ଼ ବଡ଼ ।

 

ଗଡ଼ରୁ ଗାଆଁ ଭିତରେ

ବୁଲି ବୁଲି ଆସି ପହଞ୍ଚି ଗଲି ମୁଁ

କୁଜଙ୍ଗ ସୀମା ପାଖରେ ।

 

କୁଜଙ୍ଗ ରାଇଜ ରଜା

ଗଲେଣି କୁଆଡ଼େ ଏଣିକି ସେ ଲୋକେ

ବଙ୍ଗାଳୀ ରାଜାଙ୍କ ପ୍ରଜା ।

 

ଦରିଆ କିନାରାଯାକ

ଠାଆ ଠାଆ ଖାଲି ସୁନ୍ଦରୀବଣ ଗୋ

ଲାଗିଅଛି ଥାକ ଥାକ ।

 

କେଉଟ ମାରନ୍ତି ମାଛ,

ପଶି ଯାଉଛନ୍ତି ଦରିଆ ଭିତରେ

ପିନ୍ଧି ଖଣ୍ଡେ ଖଣ୍ଡେ କାଛ ।

 

ଧନ୍ୟ ସେ କେଉଟ ଜାତି,

ଜାଲ ବାହୁଛନ୍ତି ମଝି ଦରିଆରେ

ଧନ୍ୟ ଧନ୍ୟ ତାଙ୍କ ଛାତି ।

 

ଦେଖିଲି ଶୁଖୁଆ ଖଳା,

ଛାଡ଼ି ଦେଇଛନ୍ତି ଜାଗାକୁ ଜାଗା ସେ

ବାଲିରେ ମଳାକୁ ମଳା ।

 

କୁଜଙ୍ଗରୁ କିଛି ଦୂର

ପହଞ୍ଚିଲି ଆସି ଆଉ ଏକ ଜାଗା

ନାମ ତା ହରିଶପୁର ।

 

ଖୁଦୁରିଆ ରାଜା ଏକ

ଥିଲେ ଆଗେ ଏଥି       ଜାଗାଟି ଖୁଦର

ନାମ ଥିଲା ଭାରି ଟେକ ।

 

ଋଣରେ ଗଲେ ସେ ସଢ଼ି,

ଶେଷେ କଲିକତା ଧନୀଙ୍କ ହାତରେ

ଗଲା ଏ ରାଇଜ ପଡ଼ି ।

 

ଦରିଆ କୂଳଟାଯାକ

ନ ଦେଖିଲି ପୂରା କାହାରି ଘରେ ତ

ଖାଇବା ଦାନା ମୁଠାକ ।

 

ଧାନ ଗଣ୍ଡା ଗଣ୍ଡା ବୁଣି

ଆଉ ତ କାହିଁକି ଦଣ୍ଡେ ନ ହଲନ୍ତି

ବରଷ ଗୋଟାକ ପୁଣି ।

 

ଧାନଟି ଉତୁରିଗଲେ

ଖାଇ ପିଇ ନାଚି କୁଦି ବରଷଟା

କଟାଇ ଦିଅନ୍ତି ଭଲେ ।

 

ତୁଟି ହେଲେ ଧାନଫଳ,

ଆଉ ବାଟ କିଛି ନ ଦିଶେ କାହାକୁ

ହଜିଯାଏ ସବୁ ବଳ ।

 

ରଜା ପୀଡ଼େ କର ପାଇଁ,

ପିଲା ଛୁଆ କାନ୍ଦି ବୁଲନ୍ତି ଭୋକରେ

ଖାଇବାକୁ ଦାନା ନାହିଁ ।

 

କରମ ତାଙ୍କରି ମନ୍ଦ,

ଧାନ ଛଡ଼ା କିଛି ନ ଦିଶେ ତାହାଙ୍କୁ

ଆଉ ସବୁଥିକି ଅନ୍ଧ ।

 

ଦେଖିଲି ମୁଁ ଯହିଁ ଯେତେ

ଧନଦଉଲତ ଭରା ରହିଅଛି

ପାଖେ ପାଖେ ତାଙ୍କ କେତେ ।

 

ମନ କଲେ ଧନ ପାଇ,

ଭୋକେ ମରୁଥିବେ ଢୋକେ ନ ପାଇବେ

ଧନକୁ ଚାହିଁବେ ନାହିଁ ।

 

ବସିଲେ କିଛି ନ କରି

କିଏ ଅବା କାହୁଁ କେମନ୍ତେ କାହାକୁ

ଆଣିଦେବ ପେଟ ଭରି ?

 

ଦେଖିଲି ନାଳିଆ ଘାସ,

ସବୁଆଡ଼େ ଖାଲି ମାଡ଼ି ଯାଉଅଛି

ନ କରି ତାହାକୁ ଚାଷ ।

 

ଜାଗା ଜାଗା କାହିଁ କେହି

ପାଛିଆ ଟୋକେଇ ବୁଣି ବିକୁଛନ୍ତି

ଅଣା କି ଦି ଅଣା ନେଇ ।

 

ନାଳିଆ ଚିରି ଥୋଇବ,

ଗୋଇଠିରେ ରଖି ଛୁରୀ ଚଲାଇଲେ

ଅନ୍ତିଟି ବାହାରିଯିବ ।

 

ପାତିଆକୁ ପୁଣ ଧରି

ଆଉ ଥରେ ତାକୁ ଚିରିପକାଇବ

ସରୁ ଓ ସମାନ କରି ।

 

ବୁଣିବ ତାକୁ ଏଥର,

କେତେ ଜାତି କେତେ ଦରବ ହୋଇବ

ଦେଖିବାକୁ ମନୋହର ।

 

ବୁଣିଲେ ନାଳିଆ ଜାଣି

କେତେ ଗଣ୍ଠିଆଙ୍କ ଅଣ୍ଟାରୁ କଉଡ଼ି

ଆଣିବ ସେ ବଳେ ଟାଣି ।

 

ନାଳିଆ ରଙ୍ଗ ସୁନ୍ଦର

ହାତକୁ କଅଁଳ ଆଖିକି ଚିକ୍‍କଣ

ନାହିଁ ତାର ପଟାନ୍ତର ।

 

ଯେଉଁ ରଙ୍ଗେ ପୁଣି ତାକୁ

ରଙ୍ଗ କରିଦେବ ସେ ରଙ୍ଗ ଧରିବ

ବଢ଼ାଇଦେବ ଶୋଭାକୁ ।

 

ଶୋଇବା ପାଇଁ ତହିଁରେ

ପଟି ବୁଣିଦେଲେ ତା ସଙ୍ଗେ ତୁଳନା

ନ ଥିବ ଆଉ ମହୀରେ ।

 

ଦେଶଯାକ ଆମପାଇଁ

ଯେତେ ଯେ ଦରବ ଖଞ୍ଜିଛି ବିଧାତା

ଆଉ କାହିଁ ଏତେ ନାହିଁ ।

 

ସେ ସବୁ ଯାଉଛି ଶୁଖି,

ଅକର୍ମାପଣକୁ ଆମେ ସିନା ଖାଲି

ହୋଇଅଛୁଁ ଚିରଦୁଃଖୀ ।

 

କିଆବୁଦା ଧାଡ଼ି ଧାଡ଼ି

ସେହି ସେ ଦରିଆ କୂଳଯାକ କେତେ

ଯାଉଅଛି ଖାଲି ମାଡ଼ି ।

 

କେତେ ଯେ ପତର ତହିଁ

ଅଲୋଡ଼ାରେ ଝଡ଼ି ସଢ଼ି ଯାଉଅଛି

ହେବ କି ତା ସୀମା କହି ?

 

ବୁଣିଲେ ପତରଯାକ

କେତେ ଧନ ତାଙ୍କ ହାତରେ ଖେଳନ୍ତା

ଫେରନ୍ତା କରମ ତାଙ୍କ ।

 

ସେଠାରେ ହେନ୍ତାଳ ବଣ,

ସେହିଠାରେ ବହୁ- ମୁରୁଗା ମାଡ଼ିଛି

ତା ଗୁଣ କାହିଁରେ କଣ ।

 

କେତେ ଧନ ଏ ଦେଶରେ

ଅଛି ଭରା ପୁଣି ସମୁଦ୍ର ସମ୍ପଦ

ରହିଛି ତାଙ୍କ ପାଖରେ ।

 

ସମ୍ପଦ ଚିହ୍ନନ୍ତି ନାହିଁ,

ଖାଲି ଭାଳୁଥାନ୍ତି କେବେ କି ବିପଦ

ଆସୁଛି ତାଙ୍କରି ପାଇଁ ।

 

ଭଜି ଭଜି ସଦା ଦୁଃଖ

ମଣିସାରିଲେଣି କେବଳ ଏଣିକି

ଦୁଃଖ ଭାଳେଣିରେ ସୁଖ ।

 

ହେ ବିଶ୍ୱଭୁବନପତି !

ଯାଙ୍କପାଇଁ ଏତେ ଖଞ୍ଜି ଅଛ ତାଙ୍କୁ

ନ ଦିଅ କିପାଁ ସୁମତି ?

 

ହେ ପ୍ରଭୁ କରୁଣା କର,

ଚଳୁ ତାଙ୍କ ଅଙ୍ଗ ଫେରୁ ତାଙ୍କ ଢଙ୍ଗ

ଘୁଞ୍ଚାଅ ଦୁଃଖ ତାଙ୍କର ।

Image

 

ଚକ୍‍ ଷ୍ଟିକ୍‍

(ଇଟାଲିଏନ୍‍-ଖେମଟା)

 

ଶିଳୁପତା ଧର ଦୁଧଖଡ଼ି ଚୂର

ଗଢ଼ିନେବା ଚକ୍‍ ଷ୍ଟିକ୍‍,

ନିଜେ ଚୂରିବା ନିଜେ ଗଢ଼ିବା

ନିଜ ନିଜ ଚକ୍‍ ଷ୍ଟିକ୍‍ ।

ପାଣି ଟୋପିଏ ଅଠା ଟିକିଏ

ଗୋଳାଇ ଦିଅ ମିଳାଇ ନିଅ

ବଳିଦେଲେ ହେବ ଠିକ୍‍ ।

(ଦେଖ) ବଳିଛୁଁ ଏ ଚକ୍‍ ଷ୍ଟିକ୍‍

(ଦେଖ) ହେଲା କି ନ ହେଲା ଠିକ୍‍ ।

ରଙ୍ଗ କରିବ ? ରଙ୍ଗ ଗୋଳିବ,

ମିଳାଇ ଦିଅ, ଶୁଖାଇ ନିଅ,

(ଦେଖ) ହେଲା କି ନ ହେଲା ଠିକ୍‍ ।

(ଦେଖ) ଏହି ସେହି ଚକ୍‍ ଷ୍ଟିକ୍‍ ।

ଆମରି ବଣରେ ମିଳେ ଏହି ଖଡ଼ି,

କିଏ କାହୁଁ ଆସି ନେଇଗଲେ ତାଡ଼ି,

ଗଢ଼ି ଆଣିଲେ, କଉଡ଼ି ନେଲେ,

ପାଖରେ ଥାଉଁ, କିଛି ନ ପାଉଁ,

ଛି ଛି ଆମକୁ ଧିକ୍‍ ।

(ଦେଖ) ଏହି ସେହି ଚକ୍‍ ଷ୍ଟିକ୍‍ ।

(ଦେଖ) ହେଲା କି ନ ହେଲା ଠିକ୍‍ ।

ଧନ ଧନ ବୋଲି ମନେ ଭାଳୁଁ ବସି,

ଚାହିଁ ରହିଥାଉଁ ଧନ ଯାଏ ଖସି,

ପାଟି ନ କରୁଁ, ହାତେ ନ ଧରୁଁ,

ଦେଖି ନ ଦେଖୁଁ, ଶିଖି ନ ଶିଖୁଁ,

ଶୁଣି ହେଉ ଦିକ୍‍ ଶିକ୍‍ ।

(ଦେଖ) ହେଲା କି ନ ହେଲା ଠିକ୍‍ ।

(ଦେଖ) କଲୁଁ ଏହି ଚକ୍‍ ଷ୍ଟିକ୍‍ ।

(କହ) ହେଲା କି ନ ହେଲା ଠିକ୍‍ ।

Image

 

ଖଜୁରିପତ୍ର

(ଇଟାଲିଏନ୍‍-ଖେମଟା)

 

ଦେଖ ଏହି

ଖଜୁରି ଗଛରୁ ଖଜୁରି ପତର

ଆଣି ଗୋଟି ଗୋଟି ଧରି,

ଛୁଞ୍ଚି ମୁନରେ ଚିରି ପକାଇଲୁଁ

ତାକୁ ସରୁ ସରୁ କରି ।

 

ତା ପରେ

ଖରାରେ ଶୁଖାଇ ଦେଲୁଁ,

ବେଣ୍ଟ ଖଣ୍ଡି ତାଞ୍ଛି ନେଲୁଁ,

ପତ୍ର ଯୋଡ଼ି ଯୋଡ଼ି ବାନ୍ଧିଲୁଁ ସୂତାରେ

ବେଣ୍ଟ ଅଗ ଗଲା ଭରି । ୧ ।

 

ଶେଷେ

ରଙ୍ଗସୂତା କିଛି ଆଣି,

ଗୁଡ଼ାଇଲୁଁ ଟାଣି ଟାଣି,

ଶୋଭା ବଢ଼ିବାକୁ ତା ଉପରେ ପୁଣି

ଖଞ୍ଜି ଦେଇଅଛୁଁ ଜରି । ୨ ।

 

ଦେଖ

ହାତ କରାମତି ଏହି,

(ଏହା) ସହଜେ ବୁଝିବ କେହି ?

ଖଜୁରି ପତର ମାଡ଼ି ଯାଉଅଛି

ତହିଁରୁ ହେବ ଏପରି । ୩ ।

 

ଏହାକୁ

ରଖି ଦେଇଥିବ ଘରେ,

ଝାଡ଼ିଦେବ ଥରେ ଥରେ

ଟେବଲ, ଚେଆର, ବହି, ଆଲମାରି,

ନିଜେ ନିଜ ହାତେ ଧରି । ୪ ।

 

ଆହା !

ଏପରି ଦରବ କେତେ,

ଅଲୋଡ଼ା ଯାଉଛି ଯେତେ,

ଖୋଜି ଖୋଜି ଆଣି କାମ କରିଦେଲେ

(ଆମ) ନ ଯିବ କି ଘର ଭରି ? ।୫।

Image

 

ଅଅଁଳା

(ଇମନ୍‍କଲ୍ୟାଣ-ଏକତାଳି)

 

ସୁବର୍ଣ୍ଣ ଭୂଇଁରେ ଆମ ବାସ

(ଆମେ) ପେଟଭୋକେ ସିନା ହେଉଁ ନାଶ ।

କିଏ କାହୁଁ ଆସି ବୋହି ଘେନିଯାନ୍ତି

ଆମକୁ ନ ମିଳେ ପୂର୍ଣ୍ଣ ଗ୍ରାସ ।

ଆମରି ବନସ୍ତେ ତରୁରାଜି

ଫଳଭରେ ଡାଳ ପଡ଼େ ଭାଞ୍ଜି

(ହରିଡ଼ା ଫଳ ତ କାହିଁ କେତେ

ବାହାଡ଼ା ତ ସଢ଼ି ଯାଏ ଯେତେ

ଅଁଳା ଫଳଟି ଲୋଡ଼ା ଏତେ)

ଆମେ ଚାହିଁ ଥାଉଁ ସେ ଫଳ ନ ଖାଉଁ

ସହୁଥାଉଁ ପେଟଭୋକ ତ୍ରାସ । ୧ ।

 

ଅଁଳା ମୁରବ୍ବା କରିବାକୁ

ଫୋଡ଼ି ଫୋଡ଼ି ଆଗେ ଦିଅ ତାକୁ

(ଚୂନପାଣିରେ ବୁଡ଼ାଅ ଥରେ

ଅଧଘଣ୍ଟାରେ ପୁଣି ଥରେ

ଦହିପାଣିରେ ବୁଡ଼ା ତା’ ପରେ)

ଦେଢ଼ଘଣ୍ଟା ପରେ ସିଝାଅ ନିଆଁରେ

କଷା ଗୁଣ ତାର ହେବ ହ୍ରାସ । ୨ ।

 

କଷରା ପାଣିକୁ କାଢ଼ି ଦିଅ

ପୁଣି ଦହିପାଣି ତହିଁ ନିଅ

(ଦେଢ଼ଘଣ୍ଟାଟି ତାକୁ ସିଝାଇ

ଲୁଣ ଲେମ୍ୱୁରସ ଦହି ମିଶାଇ

ଭଲ କରି ତାକୁ ଦିଅ ଗୋଳାଇ)

ପତଳା ଶିରାରେ ନିଆଁରେ ବସାଅ

କେତେ ରୋଗ ଏଥି ହେବ ନାଶ । ୩ ।

Image

 

ଆଖୁଶର

(ଇମନ୍‍-କବାଲି)

 

ଆଖୁଚାଷ ଯେତେ ହେଲାଣି ଦେଶରେ,

ଆଖୁ ଫୁଲ ଯେତେ ଫୁଟେ ତା ଅଗରେ,

ସେହି ଫୁଲଶର ଆହା କି ସୁନ୍ଦର !

ସେଗୁଡ଼ିକ ପୋଡ଼ି ଦେଉଛ ଶେଷରେ । ୧ ।

 

ଚିକ୍କଣ ସରଳ ନେତ୍ରପ୍ରୀତିକର,

ରଙ୍ଗଟି ତାହାର କେଡ଼େ ମନୋହର,

ଜାଣ କି ତୁଚ୍ଛାକୁ ଖାଲି ଜାଳିବାକୁ

ଗଢ଼ିଥିଲେ ବିହି ଏତେ ଯତନରେ ? ।୨ ।

 

ସେହି ଶର ଯେବେ ଚାରି ଫାଳ କରି,

ଚିରିଦେବ ଆଗେ ଗୋଟି ଗୋଟି ଧରି,

ଛୁରୀରେ ତାହାର ଅନ୍ତିଟି ବାହାର

କଲେ ପାଇଯିବ ପାତିଆ ହାତରେ । ୩ ।

 

ସେହି ପାତିଆକୁ ଖାଲି ଦେଲେ ବୁଣି,

ଏହି ହାତଗୁଣେ କି ନ ହୁଏ ପୁଣି

ଥରେ ଯେ ଚାହିଁବ ତା ମନ ମୋହିବ

ନ ବୁଝୁଁ ତା ମୂଲ୍ୟ ପାଇ ନିଜ ଘରେ । ୪ ।

 

ବାଛି ବାଛି ନେବ ସେହି ଆଖୁଶର

କାଟି ଦେବ ତାକୁ କରି ଗର ଗର,

ମୁଣ୍ଡଳି ଖଞ୍ଜିବ ପାତରେ ବାନ୍ଧିବ

କେତେ ଜାତି ଝୁଡ଼ି ହେବ ସହଜରେ । ୫ ।

 

ଧନ ଦଉଲତ ଯେତେ ଆମ୍ଭପାଇଁ,

ଖଞ୍ଜି ଦେଇଛନ୍ତି ପାଶେ ବିଶ୍ୱସାଇଁ

ବୁଝି ନ ବୁଝି ବା ହାତେ ନ ଛୁଇଁବା

ଦୁଃଖେ ନାଶ ହେବା ଆପଣା ଦୋଷରେ । ୬ ।

Image

 

କମ୍ୱଳ

(ରାଗ-ଦେଶାକ୍ଷ)

 

ଆମରି ଦେଶରେ ମେଣ୍ଢାଙ୍କ ଦେହରେ

ଲୋମ ଅଛି ଯେତେ ଯେତେ,

କାଟି ଆଣି ଖାଲି କମ୍ୱଳ ବୁଣିଲେ

କମ୍ୱଳ ହୁଅନ୍ତା କେତେ ଗୋ, ଶୁଣ ।

ମେଣ୍ଢାଲୋମର ଅଶେଷ ଗୁଣ ଗୋ, ଶୁଣ ।

ଖାଲି ଧୁଅ ତାକୁ ପୁଣ ପୁଣ ଗୋ, ଶୁଣ ।

ସଫା କରି ସୂତା କାଟି ବୁଣ । ୧ ।

 

ସଫା ଲୋମ ଗୁଡ଼ି ପିଞ୍ଜି ପକାଇବ

ହାତେ ହାତେ ତାକୁ ଧରି,

ବତା ନାଠିଟିରେ ଭିଣିବ ସେତକ

ଅଧିକ ଯତନ କରି ଗୋ, ତାକୁ ।

କରି କଳଣା ହାତମୁଠାକୁ ଗୋ, ତାକୁ,

ବଳ ବଳଣା ଭିଣିଳ ଯାକୁ ଗୋ, ତାକୁ ।

ସଜ ହେବ ସୂତା କାଟିବାକୁ । ୨ ।

 

 

ଅରଟ ଖଣ୍ଡିଏ ହେଉ ଯେଉଁ ଭଳି

ତାକୁଡ଼ିଟି ଏଥି ପାଇଁ

ବଡ଼ କରିଥିବ ସୂତା କାଟି ଦେବ

ହାତକୁ ଲାଗିବ ନାହିଁ ଗୋ, ଜାଣ ।

ହାତଗୁଣେ ସିନା ସୂତା ଟାଣ ଗୋ, ଜାଣ ।

ଶୀତେ କମ୍ୱଳ ବଞ୍ଚାଏ ପ୍ରାଣ ଗୋ, ଜାଣ ।

ଖୋଜା ନ ଥାଇ ଏଥି ପ୍ରମାଣ । ୩ ।

 

ଲକ୍ଷ ଲକ୍ଷ ମେଣ୍ଢା ଅଛନ୍ତି ଏଦେଶେ

ଲୋମଗୁଡ଼ିକ ତାଙ୍କର

ନ କାଟି ତୁଚ୍ଛାକୁ ହେଉଅଛି ମାଟି

ଅଯୋଗ୍ୟ ପଣେ ଆମର ଗୋ, ଦେଖ ।

ଦେଶଯାକ ଆମେ ଅବିବେକ ଗୋ, ଦେଖ ।

ଶୀତକାଳକୁ ନ ଥାଇ ଭେକ ଗୋ, ଦେଖ ।

ଅନ୍ଧ ହୋଇ ହରାଇଛୁଁ ଟେକ । ୪ ।

 

ଯେତେ ପରକାରେ ଦେଇଛନ୍ତି ବିହି

ନେଇ ନ ଜାଣିବୁଁ ଯେବେ

ଦିନକୁଦିନ ତ ହୀନ ହୋଇ ହୋଇ

ଲୀନ ହୋଇଯିବୁଁ ତେବେ ଗୋ, ମିତ ।

ମେଣ୍ଢାଲୋମେ ଥାଇ କେତେ ବିତ୍ତ ଗୋ, ମିତ ।

ନ ବୁଝିବୁଁ ଯେବେ ନିଜ ହିତ ଗୋ, ମିତ ।

ଭୋଗୁଥିବୁଁ ସଦା କାଳେ ଶୀତ । ୫ ।

Image

 

ସାବୁନ୍‍

(ଇଟାଲିଏନ୍‍-ଖେମ୍‍ଟା)

 

(ଜାଣୁ ଆମେ) ସାବୁନ୍‍ ତିଆରି ବାଗ ।

ଥଣ୍ଡା ପ୍ରଣାଳୀ ଗରମ ପ୍ରଣାଳୀ

ଦୁଇ ପ୍ରଣାଳୀର ଭାଗ ।

(ସାବୁନର) ପିଣ୍ଡ ହେଉଛି ତେଲ

ଯେଉଁ ତେଲ ଦେବ ସେ ତେଲେ କରିବୁଁ

ନ ମିଶାଇ କିଛି ଭେଲ ।

(ତା ଭିତରେ) ନଡ଼ିଆ ତେଲ ସରସ

ନଡ଼ିଆ ତେଲରେ ବଢ଼ିଆ ସାବୁନ୍‍

ଦେଖିଲେ ମନ ହରଷ ।

(ତେଲ ସଙ୍ଗେ) କଷ୍ଟିକ୍‍ ସୋଡ଼ା ଜାଣ

କଷ୍ଟିକ୍‍ ସୋଡ଼ା ସବୁଥିରେ ଲୋଡ଼ା

ସେତିକ ତାହାର ପ୍ରାଣ ।

(ସବୁବେଳେ) ଭାଗ ମାପ କରି ନେବ

ଯେଉଁ ତେଲ ସଙ୍ଗେ ଯେତିକି ଲାଗିବ

ଊଣା ଅଧିକ ନ ହେବ ।

(ସାବଧାନ) କଷ୍ଟିନ୍‍ ନ ଧର ହାତେ

କାକରପାଣିରେ ପକାଅ ତାହାକୁ

(ପାଣି) ତାତିଯିବ ସାଥେ ସାଥେ ।

(ଥଣ୍ଡା ହେଲେ) ପଳାଏ ପଳାଏ ପାଣି

ତେଲରେ ଢାଳିବ ତାକୁ ଗୋଳାଇବ

କାଠଚଟୁ ଖଣ୍ଡେ ଆଣି ।

(ଦେଖିବ ସେ) କ୍ରମେ ହେଉଥିବ ଘନ,

ବୁଝିବ ପାଗଟି ଠିକଣା ରହିଛି

ତୋଷ ହୋଇଯିବ ମନ ।

(ଏବେ ତାକୁ) ଛାଞ୍ଚଟିରେ ଢାଳିଦେବ,

ଟାଣ ହୋଇଗଲେ       ଛାଞ୍ଚରୁ ଉତାରି

ଖଣ୍ଡ ଖଣ୍ଡ କାଟି ନେବ ।

(ଦେଖିଲ ତ) ଏତିକେ ପାଇଟି ଶେଷ,

କିପାଁ ଏଥିପାଇଁ ପରକୁ ଅନାଇ

ରହିଥିବ ଆମ ଦେଶ ?

(ଆଉ ଅଛି) ଗରମ ପ୍ରଣାଳୀ ପାଗ,

ଅଳପ ପ୍ରଭେଦ ସବୁ କରି ହେବ

(ଯେବେ) ଆଳସ୍ୟକୁ କର ତ୍ୟାଗ ।

Image

 

ହାତ

(ରାଗ-ଶଙ୍କରାଭରଣ)

 

ହାତୁଁ ବଳି ହତିଆର ନାହିଁ ଜଗତରେ,

ବିହି ଖଞ୍ଜିଛନ୍ତି ହାତ ମାନବ ଅଙ୍ଗରେ,

ଯେବେ ଏତିକ ବୁଝିବ,

ହାତବଳେ ଜଗତକୁ ହେଳେ ଜିଣିଯିବ । ୧ ।

 

ଯେତେ ଯା ଦେଖି ଚକିତ ହୁଅ ଥରେ ଥରେ,

ହେଜିଲେ ବୁଝିବ ସବୁ ଗଢ଼ା ଏ ହାତରେ,

ଏହି ହାତର ମହିମା,

କେ ପାରିବ କଳି ଅବା କେ କହିବ ସୀମା । ୨ ।

 

ହାତ ଥାଉଁ ହାତ ଯେବେ ଚଳାଇ ନ ଜାଣୁଁ,

ଯାବତ ଦୁଃଖ ଦୁରିତ ଆପେ ବରି ଆଣୁଁ,

ଆଉ ନିନ୍ଦିବା କାହାକୁ,

ନିଜ କର୍ମ୍ମଫଳ ନିଜେ ହେବ ଭୁଞ୍ଜିବାକୁ । ୩ ।

 

ନିତି ନିତି ଦେଖି ଏତେ ହାତକରାମତି,

ନ ବୁଝିବୁଁ ଯେବେ ଆମ ନ ଫେରିବ ମତି,

କହ କେମନ୍ତେ ଏ ଜାତି,

ବିଲୋପ ନ ହୋଇ ଟେକି ରହିଥିବ ଛାତି ? ।୪ ।

 

ବାଳକ ବାଳିକା ବୃଦ୍ଧ ଯୁବକ ସକଳେ,

ଶିଖ ହାତ ଚାଳି, ଏକା ଏହି ହାତବଳେ,

ହଟିଯିବ ସବୁ ଦୁଃଖ,

ଉଜ୍ଜ୍ୱଳ ହୋଇବ ନିଜ ଜାତି ଦେଶମୁଖ । ୫ ।

Image

 

ପାଠ ଓ କାମ

(ଗଜଲ-କବାଲି)

 

ଏବେ ଯୁଗ ତ ଓଲଟି ଗଲାଣିରେ,

ବହି ପାଠ ତ ଅପାଠ ହେଲାଣିରେ ।

ପାଠୁଆ ପାଠ ସାରି ଦେଖ କି ହରବର,

ଚାକିରି ଖୋଜି ଖୋଜି ବୁଲନ୍ତି ଘର ଘର,

ମହତ ଗଲା ବୁଡ଼ି ଡିଗିରି କାଗଜର,

ବୁଡ଼ିଲା ଜ୍ଞାନ ଧ୍ୟାନ ସବୁ ଏବେ ତାଙ୍କର ।

ଆଉ ନାହିଁ ତ ସେ ମନଫୁଲାଣିରେ । ୧ ।

 

କମାର ନେହି ଧରି ବସେ ଛାତି ଆଣ୍ଟରେ,

କୁମ୍ଭାର ହାଣ୍ଡି ଗଢ଼ି ଯାଉଛି ତା ଚକରେ,

ବଢ଼େଇ ଠୁକୁ ଠୁକୁ କରେ ବସି ତା ଘରେ,

ହାଙ୍କଇ ଦେଢ଼ଟଙ୍କା ଏଡ଼େ ଖଣ୍ଡେ କାଠରେ ।

ବହି ପାଠକୁ ହଟାଇ ଦେଲେଣିରେ । ୨ ।

 

ମୂଲିଆ ମୂଲ ଲାଗେ ଦିନକୁ ପାଞ୍ଚଅଣା,

ତେଲି ପେଡ଼ଇ ତେଲ ଆନନ୍ଦେ ପେଲି ଘଣା,

ପାଠୁଆ ଦେଖି ଦେଖି ଖାଲି ହୁଅଇ ବଣା,

କି କଲି ଭାଳି ଗାଲେ ମାରଇ ଚଟକଣା ।

ଦିଅ ଏଭଳି ପାଠକୁ ମେଲାଣିରେ । ୩ ।

 

ବେଳହୁଁ ପାଠ ସଙ୍ଗେ କୋଡ଼ି କୋଦାଳ ଧର,

ହାତକେ ଥାଉ ବହି ହାତକେ କାମ କର,

ମୂଳରୁ ଦମ୍ଭ କର ନିଜେ ନିଜ କମର,

ନ ହେଲେ ହଟହଟା ହେବ ଜାଣ ମୁକର ।

ଆଉ ନ ଭୁଲ ଏ ମନଭୁଲାଣିରେ । ୪ ।

Image

 

ଆମ ଦେଶ

(ଗଜଲ-କବାଲି)

 

ଆମ ଦେଶ ସୁନା ଦେଶ ଆମେ ମରୁଁ ଭୋକରେ,

ଦାନା ପାଇଁ କନା ପାଇଁ ଗଞ୍ଜି ହେଉଁ ଦୁଃଖରେ ।

ସମ୍ପଦ ଚାରିଆଡ଼େ ଭରା ଆମ ଦେଶରେ,

ଜଳକା ହୋଇ ଚାହିଁ ରହିଥାଉଁ ପାଶରେ,

ପରକୁ ଯେତେ ଦୋଷ ଦେଇ ଖାଲି ମିଛରେ

ପଛଘୁଞ୍ଚା ଦେଇ ଲୁଚି ରହି ଯାଉଁ ବେଳରେ । ୧ ।

 

କରମ ଦୋଷ କହି ନିଜ ମନ ଭୁଲାଉଁ,

ମରମ କଥାଟିକ ଜାଣି ଜାଣି ଘୋଡ଼ାଉଁ,

ଖଟିବା ଡରେ ହଟି ଯାଇ କିଛି ନ ପାଉଁ ।

ସବୁ ଦୁଃଖ ଦଶା ନିଜେ ଭେଉଁ ନିଜ ହାତରେ । ୨ ।

 

ନ ଖାଉଁ ଯେବେ ରନ୍ଧା ଭାତ ହାତେ ଉଠାଇ,

ଅନାଉଁ ପରା କେହି ଆସି ଦେବ ଖୁଆଇ,

ଉଦରଜ୍ୱାଳା କହ କିଏ ନେବ ଘୁଞ୍ଚାଇ ?

ଭାଳି ଭାଳି ସିନା ଖାଲି ନାଶ ହେବୁଁ ଶେଷରେ । ୩ ।

Image

 

ଆଳସ୍ୟ

(ଗଜଲ-ଖେମଟା)

 

ଯେତେ ଯେତେ କାଳ ଖାଲି ଅଳସେ କାଟ ଦିନରେ,

କେତେ ମୂଲ୍ୟ ସେତିକର ଭାଳ କି କେବେ ମନରେ ।

ସେତିକ ବେଳ ଯେବେ ନ ବସି କାମେ ଲାଗ,

ଆପଣା ଦୀନଦଶା ସୁମରି ଆପେ ଜାଗ,

ପଡ଼ିଛ ପଛ ହୋଇ ବସିବ ମାଡ଼ି ଆଗ,

ଫେରିଯିବ ସବୁ ଦଶା ସଜରେ,

ଭରିଯିବ କେତେ ଧନ ରତନ ଆମ ବାସରେ ।୧।

 

ତୁଚ୍ଛାକୁ ଯେତେ ଭାଳି ହେଲେ ମନ ଭିତରେ,

ନ ଲାଗ ଯେତେଦିନ ନିଜେ ନିଜ କାମରେ,

ନ ଛାଡ଼ ଆଳସ୍ୟ, ନ ଲାଗ କାମରେ,

ଦିନୁ ଦିନ ଦୁଃଖଦଶା ବଢ଼ିବ ଆମ ଦେଶରେ ।୨।

 

ସୁବର୍ଣ୍ଣପ୍ରସବିନୀ ଏହି ସୁବର୍ଣ୍ଣଭୂମେ,

ଜନମି ଯେବେ ହେବ କରମହୀନ ତୁମେ,

ଗୁହାରି କେ ଶୁଣିବ ? କାହାପାଶେ କହିବ ?

 

ଭାଳି ଭାଳି ସିନା ମନ ତାପରେ,

ଜାଳି ହେଉଥିବ କାଳକାଳକୁ ନିଜ ଦୋଷରେ ।୩।

 

ଭୂମିକୁ ଦେବ ଦୋଷ ଫଳ ନାହିଁ ଚାଷରେ,

କାମକୁ ଦୋଷ ଦେବ କାମ ନାହିଁ ଦେଶରେ,

ଆଳସ୍ୟ ବଚନ, ନ ଧର ତୁଣ୍ଡରେ,

ଭୂମିବଳ ତମ ହାତେ କାମ ତ ତମ ହାତରେ ।୪।

Image

 

କଥା ଓ କାମ

 

କିଛି ନ କରି ତୁଚ୍ଛାକୁ ଦେଶ ଦେଶ

ଯେତେ ଭଜିହେଲେ କଥାରେ,

ଦେଶ ଦୁଃଖ ତିଳେ ହେଳେ ନ ଘୁଞ୍ଚିବ

ନାଚି ନାଚି ଯିବ ବୃଥାରେ;

କର୍ମ ଯୁଗରେ,

କରୁଥିବ ଯାହା କର୍ମରେ,

ଫଳିବ ତା ଫଳ ନ ହେବ ବିଫଳ

କର୍ମଫଳ ଥୁଆ ଆଗରେ ।୧।

ନିଜେ ନ କରି ପରକୁ ଉପଦେଶ

ସବୁକାଳେ ଏହା ସରଳ,

ସରଳକୁ ଆଗେ ଆବୋରି କିପାଇଁ

ପରପାଇଁ ଏତେ ବିକଳ ?

କିସ ଦେଖାଇ,

ପରନେତ୍ର ଦେବ ଭୁଲାଇ

ଶ୍ରମ ତୁଟିଯିବ କଥା ହଟିଯିବ

ନିରାକାର କର୍ମ ବୁଝାଇ ।୨।

Image